ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟରେ ଗୁରୁଦେବଙ୍କ ପଞ୍ଚଦିବସୀୟ ସାନ୍ନିଧ୍ୟର ଦିବ୍ୟ ଅଧ୍ୟାୟ
ଗୁରୁଦେବଙ୍କ ପଦାର୍ପଣ - ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟରେ ଆନନ୍ଦର ନବପଲ୍ଲବ
୬ରୁ ୧୦ ନଭେମ୍ବର ୨୦୨୫ । କଟକ ନିକଟସ୍ଥ ନରାଜଠାରେ ଥିବା ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ ପାଇଁ ତାହା ଥିଲା ଏକ ଅବିସ୍ମରଣୀୟ ସମୟ । ଏ ସମୟ ତାହାର ପ୍ରାଣ ପ୍ରତିଷ୍ଠାତା, ଆଜୀବନ ସଭାପତି ତଥା ମାନବବାଦୀ ଓ ଆଧ୍ୟାତ୍ମିକ ଗୁରୁ ଶ୍ରୀ ଶ୍ରୀ ରବିଶଙ୍କରଙ୍କ ସାନ୍ନିଧ୍ୟ ଲାଭ କରିବାରେ ବିଶ୍ୱବିଦ୍ୟାଳୟକୁ ଦେଇଥିଲା ଏକ ମହାର୍ଘ ସୁଯୋଗ। ସମଗ୍ର ବିଶ୍ୱବିଦ୍ୟାଳୟ ଏହି ପାଞ୍ଚଦିନ ସଜେଇ ହୋଇଥିଲା ନବବଧୂଟିଏ ପରି । ପ୍ରତ୍ୟେକ ବିଦ୍ୟାର୍ଥୀଙ୍କଠାରୁ ନେଇ ଅଧ୍ୟାପକ-ଅଧ୍ୟାପିକାଙ୍କ ପର୍ଯ୍ୟନ୍ତ, ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କଠାରୁ ନେଇ ସର୍ବୋଚ୍ଚ ପାହ୍ୟାର ବ୍ୟକ୍ତିବିଶେଷଙ୍କ ପର୍ଯ୍ୟନ୍ତ ସମସ୍ତେ ଗୁରୁଦେବଙ୍କ ଆଗମନ ପାଇଁ ଥିଲେ ଉଦବିଗ୍ନ, ଉତ୍କଣ୍ଠିତ ।
୬ ତାରିଖ ଗୁରୁବାର ପ୍ରଥମେ ଆସି ପହଞ୍ଚିଥିଲେ ଗୁରୁଦେବଙ୍କ ଭଗ୍ନୀ ଭାନୁମତି ନରସିଂହନ୍ । ତାଙ୍କୁ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ ପରିସରରେ ଦିଆଯାଇଥିଲା ଭବ୍ୟ ସ୍ୱାଗତ ।
ଏହାପରେ ବିଳମ୍ବିତ ସନ୍ଧ୍ୟାରେ ଝାରସୁଗୁଡ଼ା ସତସଂଗ କାର୍ଯ୍ୟକ୍ରମ ସାରି ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟରେ ପଦାର୍ପଣ କରିଥିଲେ ଗୁରୁଦେବ ଶ୍ରୀ ଶ୍ରୀ ରବିଶଙ୍କର । ତାଙ୍କ ଆଗମନରେ ସତେଯେପରି ବିଶ୍ୱବିଦ୍ୟାଳୟ ପରିସର ହୋଇ ଉଠିଥିଲା ପଲ୍ଲବିତ । ସତେଯେମିତି ବିଶ୍ୱବିଦ୍ୟାଳୟ ପରିସରରେ ଥିବା ବୃକ୍ଷରାଜିରେ କଅଁଳି ଉଠିଥିଲା ନବପଲ୍ଲବ । ନୂତନ ସୂର୍ଯ୍ୟର କିରଣରେ ରାତିର ଅନ୍ଧକାର ମଧ୍ୟ ହୋଇଉଠିଥିଲା ଉଦଭାସିତ ।
ଗୁରୁଦେବ ଭୁବନେଶ୍ୱର ବିମାନବନ୍ଦରରୁ ଆସି ବିଶ୍ୱବିଦ୍ୟାଳୟରେ ପଦାର୍ପଣ କଲେ । ତାଙ୍କୁ ସମ୍ମୁଖ ଦ୍ୱାରରୁ ହିଁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ସହକାରେ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ ମଧ୍ୟକୁ ପାଛୋଟି ନିଆଯାଇଥିଲା । ବିଳମ୍ବିତ ସନ୍ଧ୍ୟାରେ ସୁଦ୍ଧା ତାଙ୍କ ଝଲକ ଟିକିଏ ପାଇବା ପାଇଁ ବିଶ୍ୱବିଦ୍ୟାଳୟ ମୁଖ୍ୟ ରାସ୍ତାର ଉଭୟ ପାର୍ଶ୍ୱରେ ଅପେକ୍ଷା କରି ରହିଥିଲେ କର୍ତ୍ତୃପକ୍ଷଙ୍କ ସମେତ ହଜାର ହଜାର ବିଦ୍ୟାର୍ଥୀ । ଗୁରୁଦେବ ଆସିଲେ, ସମସ୍ତଙ୍କୁ ଦର୍ଶନ ଦେଲେ ଏବଂ ଶୁଭାଶୀର୍ବାଦ ମଧ୍ୟ ପ୍ରଦାନ କଲେ ।
ଏସିଆର ପ୍ରଥମ ଅନ୍ତର୍ଜାତୀୟ ଓଷ୍ଟିଓପ୍ୟାଥି କନଭେନସନ୍ରେ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ଐତିହାସିକ ମୁହୂର୍ତ୍ତ
ଗୁରୁଦେବ ବିଶ୍ୱବିଦ୍ୟାଳୟକୁ ଆସିବା ପରଦିନଟି ଥିଲା ଖୁବ୍ ଗୁରୁତ୍ୱପୂର୍ଣ୍ଣ । କାରଣ ସେଦିନ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟରେ ପ୍ରଥମ ଥର ପାଇଁ ଆୟୋଜିତ ହେଉଥିଲା ତିନିଦିନିଆ ଅନ୍ତର୍ଜାତୀୟ ଓଷ୍ଟିଓପ୍ୟାଥି କନଭେନସନ୍ । ସମଗ୍ର ଏସିଆ ମହାଦେଶରେ ଏ ଆୟୋଜନ ଥିଲା ସର୍ବପ୍ରଥମ ।
୭ରୁ ୯ ନଭେମ୍ବର ୨୦୨୫ ପର୍ଯ୍ୟନ୍ତ ବିଶ୍ୱବିଦ୍ୟାଳୟ ଦେଖିଥିଲା ଅନେକ ବିଦେଶାଗତ ବାଗ୍ମୀ ଓ ବିଦ୍ୱାନ୍ ଅତିଥି ବକ୍ତାଙ୍କର ସାରଗର୍ଭକ ଅଭିଭାଷଣ । ଉକ୍ତ କନଭେନସନର ଉଦଘାଟନୀ ଦିବସରେ ଯୋଗଦେଇ ଗୁରୁଦେବ କହିଥିଲେ ଖୁବ୍ ସୁନ୍ଦର କଥା । କହିଥିଲେ, “ଦିନ ଥିଲା ଓଷ୍ଟିଓପ୍ୟାଥି ବା ଅସ୍ଥି ଚିକିତ୍ସା ବିଜ୍ଞାନ କ’ଣ, ଲୋକେ ଜାଣି ନ ଥିଲେ । ଏପରିକି ଡାକ୍ତରମାନେ ମଧ୍ୟ ଏହା କ’ଣ ଓଷ୍ଟିଓପୋରୋସିସ୍ କିମ୍ବା ଅର୍ଥୋପେଡିକ୍ ବୋଲି ଦ୍ୱନ୍ଦ୍ୱରେ ରହୁଥିଲେ । ତା’ ଛଡ଼ା ଏ ସମ୍ବନ୍ଧୀୟ ପାଠ ପଢ଼ିଲେ ଚାକିରି ମିଳିବା ନେଇ ଛାତ୍ରଛାତ୍ରୀଙ୍କ ସାଙ୍ଗକୁ ଅଭିଭାବକମାନେ ମଧ୍ୟ ଥିଲେ ସନ୍ଦିହାନ । ମାତ୍ର ସମୟ ବଦଳିଛି । ଏବେ ଓଷ୍ଟିଓପ୍ୟାଥି ସମଗ୍ର ବିଶ୍ୱରେ ନିଜର ଲୋକପ୍ରିୟତା ବୃଦ୍ଧି କରିପାରିଛି । ମାନବ ସମାଜର ସାମଗ୍ରିକ ସ୍ୱାସ୍ଥ୍ୟରକ୍ଷା କ୍ଷେତ୍ରରେ ଏହାର ଅବଦାନ ଅତୁଳନୀୟ ।”
ଏହି କନଭେନସନ ବିଶ୍ୱର ପ୍ରାୟ ସମସ୍ତ କୋଣ ଅନୁକୋଣରୁ ଓଷ୍ଟିଓପ୍ୟାଥ୍ ଏବଂ ସ୍ୱାସ୍ଥ୍ୟରକ୍ଷାରେ ନିୟୋଜିତ ପ୍ରମୁଖ ବ୍ୟକ୍ତିବିଶେଷଙ୍କୁ ଏକାଠି କରିବା ସହ ଓଷ୍ଟିଓପ୍ୟାଥି ଶିକ୍ଷା ଓ ଅନୁସନ୍ଧାନ କ୍ଷେତ୍ରରେ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିବାରେ ସମର୍ଥ ହୋଇଥିଲା । କନଭେନସନରେ ମଧ୍ୟ ଯୋଗ ଦେଇଥିଲେ ଗୁରୁଦେବଙ୍କ ଭଉଣୀ ଭାନୁ ନରସିଂହନ । ତାଙ୍କ ଉପସ୍ଥିତି ଅନ୍ୟମାନଙ୍କ ମଧ୍ୟରେ ଭରିଦେଇଥିଲା ଉତ୍ସାହ ।
ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟରୁ ଓଷ୍ଟିଓପ୍ୟାଥିରେ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇଥିବା ୧୦୦ ଜଣ ପୂର୍ବତନ ବିଦ୍ୟାର୍ଥୀ ମଧ୍ୟ ଏଥିରେ ଯୋଗ ଦେଇଥିଲେ । ଏହି କନଭେନସନରେ ଇଂଲଣ୍ଡ, ଫ୍ରାନ୍ସ, ସ୍ୱିଜରଲ୍ୟାଣ୍ଡ, କାନାଡ଼ା, ଇଟାଲୀ, ସ୍ପେନ୍ ଏବଂ ଲିଥ୍ୟୁନିଆରୁ ବହୁ ସ୍ୱନାମଧନ୍ୟ ଅତିଥି ବକ୍ତା ଉପସ୍ଥିତ ଥିଲେ । ସେମାନେ ଏହି ତିନିଦିନିଆ ସମ୍ମିଳନୀରେ ଓଷ୍ଟିଓପ୍ୟାଥିର ବିଭିନ୍ନ ଦିଗକୁ ନେଇ ବ୍ୟାପକ ଚର୍ଚ୍ଚା, ଆଲୋଚନା କରିଥିଲେ ।
ଅତିଥିମାନଙ୍କୁ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର କୁଳାଧ୍ୟକ୍ଷା ପ୍ରୋ. ରଜିତା କୁଲକର୍ଣ୍ଣୀ, କୁଳପତି ପ୍ରଫେସର (ଡ.) ତେଜପ୍ରତାପ ଓ ଆୟୋଜକ କମିଟି ଅଧ୍ୟକ୍ଷ ତଥା ସ୍ୱାସ୍ଥ୍ୟ ଓ ସୁସ୍ଥତା ବିଭାଗର ଡିନ୍ ପ୍ରଫେସର (ଡ.) ତୀର୍ଥଙ୍କର ଘୋଷ ପ୍ରମୁଖ ସ୍ୱାଗତ କରିବା ସହ ସମ୍ବର୍ଦ୍ଧିତ କରିଥିଲେ ।ଏହି କାର୍ଯ୍ୟକ୍ରମରେ ବିଶ୍ୱବିଦ୍ୟାଳୟର କାର୍ମିକ ନିର୍ଦ୍ଦେଶକ ସ୍ୱାମୀ ସତ୍ୟଚୈତନ୍ୟ ଓ କାର୍ଯ୍ୟନିର୍ବାହୀ କୁଳସଚିବ ପ୍ରଫେସର (ଡ.) ଅନିଲ କୁମାର ଶର୍ମା ମଧ୍ୟ ଉପସ୍ଥିତ ଥିଲେ ।
ବିଦେଶରୁ ଆସିଥିବା ବିଶେଷଜ୍ଞ ଅତିଥି ବକ୍ତାମାନଙ୍କ ମଧ୍ୟରୁ ପ୍ରଫେସର ରେଞ୍ଜୋ ମୋଲିନାରୀ (ଇଂଲଣ୍ଡ) ମହିଳାଙ୍କ ସ୍ୱାସ୍ଥ୍ୟ ସଂରଚନା ଏବଂ କାର୍ଯ୍ୟ ସମ୍ପର୍କରେ, ତେଜିନ୍ଦର ଦେଓରା (ଇଂଲଣ୍ଡ) ପ୍ରତିରକ୍ଷା ତନ୍ତ୍ରକୁ ନେଇ ଅଷ୍ଟିଓପ୍ୟାଥିର ଆଭିମୁଖ୍ୟ ସମ୍ପର୍କରେ, କ୍ରିଷ୍ଟିନ୍ ଡିଫ୍ରାନ୍ସ (ଫ୍ରାନ୍ସ) ଶରୀର ପରିବର୍ତ୍ତନ ଅବସ୍ଥା ସମ୍ପର୍କରେ, ଲରେନ୍ସ ଫୋର୍ଡଗ୍ନିୟର (ୟୁକେ-ଫ୍ରାନ୍ସ) ବିରଳ ପଦ୍ଧତିକୁ ନେଇ ଅଷ୍ଟିଓପ୍ୟାଥିର ଆଭିମୁଖ୍ୟ ସମ୍ପର୍କରେ, ଏମ୍ବ୍ରିନ୍ ଫୁର୍ (ଇଂଲଣ୍ଡ) ମୁଖଗହ୍ୱର ସ୍ୱାସ୍ଥ୍ୟ ସମ୍ପର୍କରେ ଏବଂ ସିବିଲେ ଗ୍ରାଫ୍ (ସ୍ୱିଜରଲ୍ୟାଣ୍ଡ) ପିଲାଙ୍କ ମଧ୍ୟରେ ଏନ୍ୟୁରିସିସ ଓ ମୂତ୍ରାଶୟ ସମସ୍ୟା ସମ୍ପର୍କରେ ବ୍ୟାଖ୍ୟା କରିଥିଲେ । ସେହିପରି ହ୍ୟୁଗାଟ୍ ଲାମ୍ବାର୍ଟ (କାନାଡ଼ା) ଥାଇରଏଡର କାରଣ ସମ୍ପର୍କରେ, ଆଲେସାନ୍ଦ୍ରା ଅବେନାବୋଲି (ଇଟାଲୀ) “ଓଷ୍ଟିଓପ୍ୟାଥି ଏଜ୍ ଏବଂ ପରସେପଟୁଆଲ ପ୍ରାକ୍ଟିସ୍” ଉପରେ ତଥା ଡ. ଓଲଗା ଏଷ୍ଟାଡେଲା (ସ୍ପେନ୍) ଅର୍ଗାନ୍ ମୋବିଲିଟି ଏବଂ ଲିଭର-ଗଟ୍ ସମ୍ପର୍କକୁ ନେଇ ଆଲୋଚନା କରିଥିଲେ । ଏଥିସହ ପେଡ୍ରୋ ଲାସନ (ୟୁରୋପ) ଶ୍ୱାସରୋଗରେ ପରିସଞ୍ଚରଣ ରଣନୀତି ସମ୍ପର୍କରେ, ହ୍ୟୁଗୋ ଚିଏରା (ୟୁରୋପ) ସାମଗ୍ରିକ ଭାବରେ ସ୍ୱାସ୍ଥ୍ୟ ପରିଚର୍ଯ୍ୟା ଓ ଏହାର ଉତ୍ପତ୍ତି ସମ୍ପର୍କରେ ଏବଂ ଡ. କେଷ୍ଟୁଟିସ୍ ଅଡାମୋନିସ (ୟୁକେ) ଓଷ୍ଟିଓପ୍ୟାଥି ଇଣ୍ଟ୍ୟୁଜନ୍ ମାଧ୍ୟମରେ ସ୍ୱାସ୍ଥ୍ୟସେବା ସମ୍ପର୍କରେ ବ୍ୟାପକ ଆଲୋଚନା କରିଥିଲେ ।
ଖାଲି ସେତିକି ନୁହେଁ, ଗୁରୁଦେବ ମଧ୍ୟ ଏହିଦିନ ଉଦଘାଟନ କରିଥିଲେ ବିଶ୍ୱବିଦ୍ୟାଳୟ ବିଦ୍ୟାର୍ଥୀମାନଙ୍କ ଦ୍ୱାରା ସୃଷ୍ଟ ନାନାଦି ନୂଆ ନୂଆ ଉଦ୍ଭାବନରେ ସମୃଦ୍ଧ ଏକ ପ୍ରଦର୍ଶନୀକୁ, ଯାହାର ନାମ ଥିଲା “ନବୋନ୍ମେଷ-ଆଇଡିଆଜ୍ ଟୁ ଇନୋଭେସନ୍।” ଅର୍ଥାତ୍ ନୂଆ କିଛି କରିବାର ଅୟମାରମ୍ଭ । ବାସ୍ତବରେ ପ୍ରଦର୍ଶନୀଟି ଏହାର ନାମକୁ ସାର୍ଥକ କରିଥିଲା । ବହୁ ଯୁବ ପ୍ରତିଭା ନିଜ ନିଜ ଯୁବ ଉତ୍ସାହ ଏବଂ ଆଗ୍ରହ ତଥା ଉଦ୍ଦୀପନା ମାଧ୍ୟମରେ ପ୍ରସ୍ତୁତ କରିଥିଲେ ବହୁ ଅଭିନବ ଜିନିଷ ।
ଏଥିରେ ଆୟୂର୍ବେଦର ଏକାଧିକ ପ୍ରକଳ୍ପ ସ୍ଥାନ ପାଇ ଆଗ୍ରହୀ ବିଦ୍ୟାର୍ଥୀ, ଅନୁସନ୍ଧିତ୍ସୁ ତଥା ଦର୍ଶକଙ୍କ ମନ ମୋହିଥିଲା । ପ୍ରଦର୍ଶନୀରେ ପଛରେ ପଡ଼ି ନ ଥିଲା ସ୍ୱାସ୍ଥ୍ୟ ଓ ସୁସ୍ଥତା ବିଭାଗ । ନିଜ ନିଜ କୃତୀ ବିଦ୍ୟାର୍ଥୀମାନଙ୍କୁ ନେଇ ଉକ୍ତ ବିଭାଗ ପ୍ରଦର୍ଶନ କରିଥିଲା ଏକାଧିକ ସୁନ୍ଦର ଓ ସମୟୋପଯୋଗୀ ପ୍ରକଳ୍ପ । ନର୍ସିଂ ବିଭାଗ ମଧ୍ୟ ନିଜ ନିଜ ବିଦ୍ୟାର୍ଥୀମାନଙ୍କର ସୁନ୍ଦର ସୁନ୍ଦର ପ୍ରକଳ୍ପମାନ ପ୍ରଦର୍ଶିତ କରିଥିଲା ।
ଏସବୁ ପ୍ରକଳ୍ପକୁ କୁଳାଧ୍ୟକ୍ଷା ପ୍ରାଧ୍ୟାପିକା ରଜିତା କୁଲକର୍ଣ୍ଣୀ, କୁଳପତି ପ୍ରାଧ୍ୟାପକ ଡ. ତେଜପ୍ରତାପ, କାର୍ଯ୍ୟନିର୍ବାହୀ କୁଳସଚିବ ପ୍ରାଧ୍ୟାପକ ଡ. ଅନିଲ କୁମାର ଶର୍ମା ଓ କାର୍ମିକ ନିର୍ଦ୍ଦେଶକ ସ୍ୱାମୀ ସତ୍ୟଚୈତନ୍ୟ ପ୍ରମୁଖ ଗୁରୁଦେବଙ୍କୁ ବୁଲାଇ ଦେଖାଇଥିଲେ । ଗୁରୁଦେବ ବିଭିନ୍ନ ପ୍ରକଳ୍ପମାନ ଦେଖି ଖୁବ୍ ଆନନ୍ଦ ଅନୁଭବ କରିଥିଲେ । କିଛି ପ୍ରକଳ୍ପରେ ସେ ବିଦ୍ୟାର୍ଥୀମାନଙ୍କ ସହ ବାର୍ତ୍ତାଳାପ ମଧ୍ୟ କରିଥିଲେ । ପ୍ରକଳ୍ପର ପ୍ରସ୍ତୁତି ଓ ଏହାର ବୈଶିଷ୍ଟ୍ୟ ସମ୍ବନ୍ଧରେ ପଚାରି ବୁଝିଥିଲେ । ତାଙ୍କର ଯୁବସୁଲଭ ଉତ୍କଣ୍ଠା ପିଲାମାନଙ୍କ ମନରେ ଭରିଦେଇଥିଲା ଅଦମ୍ୟ ଉତ୍ସାହ ।
କୃଷି ବିଭାଗରୁ ମଧ୍ୟ ପିଲାଏ କଠିନ ପରିଶ୍ରମ କରି ଖୁବ୍ ଆକର୍ଷଣୀୟ ପ୍ରକଳ୍ପମାନ ଏଠାରେ ପ୍ରଦର୍ଶନ କରିଥିଲେ । ଯାନ୍ତ୍ରିକ ଓ ବୈଷୟିକ ବିଭାଗ ପକ୍ଷରୁ ସ୍ଥାନ ପାଇଥିବା ପ୍ରକଳ୍ପଗୁଡ଼ିକ ବେଶ୍ ଦର୍ଶକୀୟ ଆଦୃତି ଲାଭ କରିଥିଲା । କଳା, ଯୋଗାଯୋଗ ଓ ଭାରତୀୟ ଶିକ୍ଷା ବିଭାଗ ପକ୍ଷରୁ ଖୁବ୍ ସୁନ୍ଦର କାରୁକାର୍ଯ୍ୟମାନ ପ୍ରଦର୍ଶିତ କରାଯିବା ସହ ଶିଳ୍ପ ଗ୍ରାମରେ ମଧ୍ୟ ବହୁ ପ୍ରକଳ୍ପ ପ୍ରଦର୍ଶିତ ହୋଇ ବିଦ୍ୟାର୍ଥୀ ଓ ବାହ୍ୟ ଦର୍ଶକଙ୍କ ମନ ମୋହିବାରେ ସମର୍ଥ ହୋଇଥିଲା ।
ପ୍ରଦର୍ଶନୀ ମଞ୍ଚରେ ଲଳିତ କଳା ବିଦ୍ୟାଳୟ ପକ୍ଷରୁ ସ୍ୱତନ୍ତ୍ର ଭାବରେ ବିଭିନ୍ନ କାରୁକାର୍ଯ୍ୟପୂର୍ଣ୍ଣ ଲଳିତ କଳାର ପ୍ରଦର୍ଶନ କରାଯାଇଥିଲା । ଏହାକୁ ଗୁରୁଦେବ ଫିତାକାଟି ଆନୁଷ୍ଠାନିକ ଭାବରେ ଉଦଘାଟନ କରିଥିବାବେଳେ ଏହା ମଧ୍ୟ ତାଙ୍କ ପ୍ରଶଂସା ପ୍ରାପ୍ତ ହୋଇଥିଲା । ମନଃସ୍ତତ୍ତ୍ୱ ବିଭାଗ ପକ୍ଷରୁ ପ୍ରଦର୍ଶିତ ପ୍ରକଳ୍ପଗୁଡ଼ିକ ମଧ୍ୟ ଦର୍ଶକଙ୍କ ଧ୍ୟାନ ଆକର୍ଷଣ କରିବାରେ ସଫଳ ହୋଇଥିଲା । ବାସ୍ତୁକଳା ବା ସ୍ଥାପତ୍ୟ ବିଭାଗ ପକ୍ଷରୁ ପ୍ରଦର୍ଶିତ ହୋଇଥିବା ନାନାଦି ପ୍ରକଳ୍ପ ମଧ୍ୟ ଦର୍ଶକୀୟ ଆଦୃତି ଲାଭ କରିବାରେ ସକ୍ଷମ ହୋଇଥିଲା । ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ବିଭିନ୍ନ କାର୍ଯ୍ୟକ୍ରମ (ପ୍ରୋଗ୍ରାମ୍) ସମ୍ବନ୍ଧରେ ମଧ୍ୟ ନବୋନ୍ମେଷରେ ପ୍ରକାଶ ପାଇଥିଲା ବିସ୍ତୃତ ବିବରଣୀ । ସେଦିନ ମଧ୍ୟ ଆୟୋଜିତ ହୋଇଥିଲା ଆଉ ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ, ଯାହାର ନାମ ଥିଲା ସଂକଳ୍ପ । ଏଥିରେ ସ୍ଥାନୀୟ ବିଭିନ୍ନ ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷମାନେ ଯୋଗ ଦେଇ ଆଲୋଚନାରେ ସକ୍ରିୟ ଅଂଶଗ୍ରହଣ କରିଥିଲେ ।
ଏହାପରେ ଅପରାହ୍ନରେ ଗୁରୁଦେବ ଭୁବନେଶ୍ୱରସ୍ଥିତ ଲୋକସେବା ଭବନରେ “ସ୍ପିରିଚୁଆଲିଟି ଇନ୍ ବିକଶିତ ଓଡ଼ିଶା - ଏଥିକ୍ସ ଇନ୍ ଗଭର୍ଣ୍ଣାନ୍ସ” (ବିକଶିତ ଓଡ଼ିଶାରେ ଆଧ୍ୟାତ୍ମିକତା - ଶାସନରେ ନୀତି) ଶୀର୍ଷକରେ ରାଜ୍ୟର ବରିଷ୍ଠ ପ୍ରଶାସକମାନଙ୍କୁ ସମ୍ବୋଧିତ କରିଥିଲେ । ସେ ନିଜ ବକ୍ତବ୍ୟରେ କହିଥିଲେ, “ ଜଣେ ଉତ୍ତମ ପ୍ରଶାସକ ପାଇଁ ମନରେ ଅନ୍ତର୍ନିହିତ ସ୍ଥିରତା, ସମତା, ମୂଲ୍ୟ ଆଧାରିତ ସ୍ପଷ୍ଟତା, ସିଦ୍ଧାନ୍ତ ଗ୍ରହଣରେ ନମ୍ରତା ଓ ସଚେତନତାକୁ ପ୍ରାଧାନ୍ୟ ଦେବା ଅତ୍ୟାବଶ୍ୟକ । ଏଗୁଡ଼ିକ କେବଳ ଦାର୍ଶନିକ ଆଡମ୍ବର ନୁହେଁ, ଜଟିଳ ଏବଂ ଦ୍ରୁତ ପରିବର୍ତ୍ତନଶୀଳ ଭାରତରେ ଉଚ୍ଚମାନକ ଶାସନ ଏବଂ ସେବା ପ୍ରଦାନ ନିମନ୍ତେ ଅତ୍ୟାବଶ୍ୟକ ଶକ୍ତି।
ସେ ଆହୁରି ଉଲ୍ଲେଖ କରିଥିଲେ ଯେ, ଯେବେ ମାନବ-କୈନ୍ଦ୍ରିକ ପ୍ରଶାସନ ନୀତି ଏବଂ ଅନ୍ତର୍ନିହିତ ସମତାଭିତ୍ତିକ ହୁଏ, ସେତେବେଳେ ତାହା ନୀତିଗତ ହସ୍ତକ୍ଷେପ ଜରିଆରେ ସମସ୍ୟାର ସମାଧାନ କରିବା ସହ ରାଜ୍ୟର ବ୍ୟବସ୍ଥାରେ ଆସ୍ଥା, ସମନ୍ୱୟ ଓ ବିଶ୍ୱାସ ସୃଷ୍ଟି କରିଥାଏ ।”
ଗୁରୁଦେବ ଶ୍ରୀ ଶ୍ରୀ ରବିଶଙ୍କରଙ୍କ ଲୋକସେବା ଭବନକୁ ସମ୍ବୋଧନ ଅବସରରେ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ ଏବଂ ଓଡ଼ିଶା ସରକାରଙ୍କ ବିଭିନ୍ନ ବିଭାଗ ମଧ୍ୟରେ ବହୁ ଗୁରୁତ୍ୱପୂର୍ଣ୍ଣ ବୁଝାମଣାପତ୍ର (ଏମ୍ଓୟୁ) ସ୍ୱାକ୍ଷରିତ ହୋଇଥିଲା । ବିଶେଷକରି ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ପ୍ରାଧିକରଣ (ଓସଡମା) ତଥା ସାମାଜିକ ନିରାପତ୍ତା ଏବଂ ଦିବ୍ୟାଙ୍ଗ ସଶକ୍ତିକରଣ ବିଭାଗ (ଏସ୍ଏସ୍ଇପିଡି) ସହ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ ପକ୍ଷରୁ ହୋଇଥିବା ଏମ୍ଓୟୁ ମାଧ୍ୟମରେ ଶିକ୍ଷା, ପ୍ରଶିକ୍ଷଣ, ଦକ୍ଷତା ବିକାଶ ଓ ଯୁବପିଢ଼ିଙ୍କ ମଧ୍ୟରେ ନିଶାମୁକ୍ତ ଓଡ଼ିଶା ଅଭିଯାନର ବ୍ୟାପକ ପ୍ରଚାର ପ୍ରସାର ସାଙ୍ଗକୁ ସଚେତନତା ଦିଗରେ ପରସ୍ପର କାର୍ଯ୍ୟ କରିବେ ବୋଲି ଜଣାପଡ଼ିଛି ।
ସେଦିନ ସନ୍ଧ୍ୟାରେ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଲୟ ପରିସରରେ ମହା ସତସଂଗରେ ଗୁରୁଦେବଙ୍କୁ ଶୁଣିଥିଲା ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ । ଉପସ୍ଥିତ ହଜାର ହଜାର ଶ୍ରୋତା ଗୁରୁଦେବଙ୍କ ବାଣୀରେ ହୋଇଥିଲେ ମନ୍ତ୍ରମୁଗ୍ଧ । ରାଜ୍ୟ ତଥା ଦେଶର କୋଣ ଅନୁକୋଣରୁ ଆସି ଏକାଠି ହୋଇଥିବା ବହୁ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ଲଭିଥିଲେ ଗୁରୁଦେବ ଶ୍ରୀ ଶ୍ରୀ ରବିଶଙ୍କରଙ୍କ ସାନ୍ନିଧ୍ୟ । ପ୍ରାୟ ଏକଘଣ୍ଟା ଧରି ସମ୍ପୂର୍ଣ୍ଣ ଶାନ୍ତିଶୃଙ୍ଖଳାର ସହ ମନ୍ତ୍ରମୁଗ୍ଧ ଜନତା ଗୁରୁଦେବଙ୍କ ବାଣୀ ଓ ପ୍ରବଚନ ଶୁଣିଥିଲେ । ବିଳମ୍ବିତ ସନ୍ଧ୍ୟା ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଚାଲିଥିଲା । ଦ୍ୱୈତ ନଗରୀର ବହୁ ଉଚ୍ଚ ପଦାଧିକାରୀ, ରାଜନେତା, ଆଇନଜୀବୀ, ସ୍ୱେଚ୍ଛାସେବୀ, ସାମ୍ବାଦିକ, ଚିକିତ୍ସକ ଏବଂ ସାହିତ୍ୟିକ ପ୍ରଭୃତି ବୃତ୍ତିରେ ଥିବା ଶତାଧିକ ଲୋକ ମହା ସତସଂଗରେ ଗୁରୁଦେବଙ୍କ ବାଣୀ ଶ୍ରବଣ କରିବାର ସୌଭାଗ୍ୟ ଲାଭ କରିଥିଲେ ।
ଏହାପରେ ଆସିଥିଲା ସେହି ମହାର୍ଘ ମୂହୁର୍ତ୍ତ । ନଭେମ୍ବର ୮ ତାରିଖ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ ପାଳିଥିଲା ତା’ର ଦ୍ୱାଦଶ ସମାବର୍ତ୍ତନ ଉତ୍ସବ । ଏହି ଅବସରରେ ଗୁରୁଦେବ ଥିଲେ ଆକର୍ଷଣର କେନ୍ଦ୍ରବିନ୍ଦୁ ।
ଉପସ୍ଥିତ ବିଦ୍ୟାର୍ଥୀ, ସେମାନଙ୍କ ଅଭିଭାବକ, ଅଧ୍ୟାପକ-ଅଧ୍ୟାପିକା, କର୍ମଚାରୀ ତଥା ଗଣମାଧ୍ୟମ ପ୍ରତିନିଧିଙ୍କୁ ସମ୍ବୋଧିତ କରିବାକୁ ଯାଇ ସେ ନିଜର ନାତିଦୀର୍ଘ ଅଥଚ ବହୁମୂଲ୍ୟ ବକ୍ତବ୍ୟ ରଖିଥିଲେ ।
ବିଶ୍ୱବିଦ୍ୟାଳୟରୁ ସଫଳତାର ସହ ଉତ୍ତୀର୍ଣ୍ଣ ବିଦ୍ୟାର୍ଥୀମାନଙ୍କୁ କହିଥିଲେ, “ନିଜ ଚେହେରାରେ ସ୍ମିତହାସ୍ୟ ବଜାୟ ରଖ । ଜୀବନରେ ଆହ୍ୱାନ ତ ବହୁତ ଆସିବ । ମାତ୍ର ତୁମମାନଙ୍କ ମୁଖମଣ୍ଡଳରୁ ହସ ଲିଭିଯିବା ଉଚିତ୍ ନୁହେଁ । ଶିକ୍ଷା ତ’ ଜୀବନରେ ଏଇମାତ୍ର ଆରମ୍ଭ କରିଛ, ଆଗକୁ ଆହୁରି ଆସିବ । ଏଥିରେ ବିଚଳିତ ହେବା ମଧ୍ୟ ଉଚିତ୍ ନୁହେଁ । ‘ଆର୍ଟ ଅଫ୍ ଲିଭିଂ’ ତୁମମାନଙ୍କ ପାଇଁ ୧୮୦ଟି ଦେଶରେ ମଞ୍ଚ ପ୍ରସ୍ତୁତ କରିଦେଇଛି । ତୁମେମାନେ ଯାଇ ସେ ବିଶାଳ ମଞ୍ଚରେ ନୃତ୍ୟ କର ।”
ଚଳିତ ବର୍ଷ ୭୦୦ ବିଦ୍ୟାର୍ଥୀଙ୍କୁ ସ୍ନାତକ ଏବଂ ସ୍ନାତକୋତ୍ତର ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା । ସେମାନଙ୍କ ମଧ୍ୟରୁ ୩୦ ଜଣଙ୍କୁ ଉପାଧ୍ୟୁତ୍ତର (ପି.ଏଚଡି) ଡିଗ୍ରୀ ପ୍ରଦାନ କରାଯାଇଥିବା ବେଳେ ୩୦ ଜଣ ବିଦ୍ୟାର୍ଥୀଙ୍କୁ ସ୍ୱର୍ଣ୍ଣ, ୨୮ ଜଣଙ୍କୁ ରୌପ୍ୟ ଏବଂ ୧୮ ଜଣଙ୍କୁ କାଂସ୍ୟ ପଦକ ପ୍ରଦାନପୂର୍ବକ ସମ୍ମାନିତ କରାଯାଇଥିଲା । ସେମାନଙ୍କୁ କାର୍ଯ୍ୟନିର୍ବାହୀ କୁଳସଚିବ ପ୍ରଫେସର ଡ. ଅନିଲ କୁମାର ଶର୍ମା ଶପଥ ପାଠ କରାଇଥିଲେ ।
ଦୀକ୍ଷାନ୍ତ ସମାରୋହ କାର୍ଯ୍ୟକ୍ରମରେ ନାକ୍ ଓ ଏନବିଏ ମୁଖ୍ୟ ଡ. ଅନିଲ ସହସ୍ରବୁଦ୍ଧେ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ୨୦୪୭ ସୁଦ୍ଧା ଦେଶ ବିକଶିତ ଭାରତର ସ୍ୱରୁପ ଦେଖିପାରିବ କହି ବିଦ୍ୟାର୍ଥୀମାନଙ୍କୁ ସମ୍ବୋଧିତ କରିଥିଲେ । ଅନ୍ୟତମ ସମ୍ମାନିତ ଅତିଥି ତଥା ନେପାଳର ପୂର୍ବତନ ମୁଖ୍ୟ ବିଚାରପତି ଶ୍ରୀ କଲ୍ୟାଣ ଶ୍ରେଷ୍ଠ ମଧ୍ୟ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ଲକ୍ଷ୍ୟ, ‘ଲର୍ଣ୍ଣ-ଲିଡ୍-ସର୍ଭ’ ପ୍ରସଙ୍ଗର ଅବତାରଣା କରି ସଫଳ ସ୍ନାତକମାନଙ୍କୁ ଅଭିନନ୍ଦନ ଜଣାଇଥିଲେ । ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା କେନ୍ଦ୍ର ସରକାରଙ୍କ ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ଡ. ସୁକାନ୍ତ ମଜୁମଦାର ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟରେ ପ୍ରାଚ୍ୟର ପ୍ରାଚୀନ ଶିକ୍ଷାପଦ୍ଧତି ସହ ପାଶ୍ଚାତ୍ୟର ଅଭିନବ ସଂସ୍କୃତିର ମିଶ୍ରଣ ହୋଇଥିବା କହିଥିଲେ ।
କୁଳାଧ୍ୟକ୍ଷା ପ୍ରଫେସର ରଜିତା କୁଲକର୍ଣ୍ଣୀ କିଭଳି ଗୁରୁଦେବ ଶ୍ରୀ ଶ୍ରୀ ରବିଶଙ୍କରଙ୍କ ଦୂରଦୃଷ୍ଟିକୁ ବିଶ୍ୱବିଦ୍ୟାଳୟରେ କାର୍ଯ୍ୟକାରୀ କରାଯାଉଛି ସେକଥା କହିଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ କୁଳପତି ପ୍ରଫେସର (ଡ.) ତେଜପ୍ରତାପ ବାର୍ଷିକ ବିବରଣୀ ପାଠ କରିଥିଲେ । ଏହି ଅବସରରେ ସେ ଭାରତର ଉଚ୍ଚଶିକ୍ଷା କ୍ଷେତ୍ରରେ ୭୭ଟି କମିଟି, କାଉନସିଲ୍ ଏବଂ ଟାସ୍କ ଫୋର୍ସରେ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ପ୍ରାଧ୍ୟାପକ କିଭଳି ସିଧାସଳଖ ଅଧ୍ୟକ୍ଷତା କରୁଛନ୍ତି, ନଚେତ୍ ଏଗୁଡ଼ିକର ସଦସ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ପଦ ପଦବୀରେ ଅବସ୍ଥାପିତ ଅଛନ୍ତି, ସେକଥା ସୂଚାଇ ଦେଇଥିଲେ ।
ବିଶ୍ୱବିଦ୍ୟାଳୟ ପକ୍ଷରୁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀ ସୁରେଶ ପ୍ରଭୁଙ୍କୁ ସମ୍ମାନଜନକ ଡକ୍ଟରେଟ୍ ଉପାଧି ପ୍ରଦାନ କରାଯାଇଥିଲା । ବିଶ୍ୱବିଦ୍ୟାଳୟର କାର୍ଯ୍ୟନିର୍ବାହୀ କୁଳସଚିବ ଡ. ଅନିଲ କୁମାର ଶର୍ମା ଧନ୍ୟବାଦ ପ୍ରଦାନ କରିଥିଲେ ।
ନଭେମ୍ବର ୯ ତାରିଖ ମଧ୍ୟ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ ଥିଲା ବେଶ୍ ଚଳଚଞ୍ଚଳ । କାରଣ ସେଦିନ ଗୁରୁଦେବ ବିଶ୍ୱବିଦ୍ୟାଳୟର ସମସ୍ତ ଅଧ୍ୟାପକ, କର୍ମଚାରୀ ଏବଂ ଅନ୍ୟାନ୍ୟ ବ୍ୟକ୍ତିବିଶେଷଙ୍କୁ ସାକ୍ଷାତର ସୁଯୋଗ ଦେଇଥିଲେ ।
ଗୁରୁଦେବଙ୍କ ସାନ୍ନିଧ୍ୟ ଲାଭକରି ସମସ୍ତେ କୃତାର୍ଥ ହେଉଥିଲେ । ତାଙ୍କୁ ଟିକିଏ ପାଖରେ ପାଇବା ଥିଲା ସମସ୍ତଙ୍କର ଇପ୍ସିତ, ସମସ୍ତଙ୍କର ଆକାଂକ୍ଷିତ ।
ବିଶ୍ୱବିଦ୍ୟାଳୟଟି ଗୁରୁଦେବଙ୍କ ମାନସ ସନ୍ତାନ ହୋଇଥିବାରୁ କିଭଳି ଏହାର ସୁପରିଚାଳନା କରାଯାଇପାରିବ, ସେ ଦିଗରେ ଉପଯୁକ୍ତ ପରାମର୍ଶ ପ୍ରଦାନ କରିଥିଲେ ଗୁରୁଦେବ ।
ଏଥିସହ ବିଦ୍ୟାର୍ଥୀମାନଙ୍କୁ କିଭଳି ଉତ୍ତମ ଓ ଗୁଣାତ୍ମକ ଶିକ୍ଷା ଦିଆଯାଇପାରିବ, ସେ ଦିଗରେ ବ୍ରତୀ ହେବାକୁ ସମସ୍ତଙ୍କୁ ଦେଇଥିଲେ ଗୁରୁମନ୍ତ୍ର । ବିଶ୍ୱବିଦ୍ୟାଳୟର ବିଦ୍ୟାର୍ଥୀମାନଙ୍କୁ ମଧ୍ୟ ଭେଟି ସେମାନଙ୍କ କଥା ବୁଝିଥିଲେ । ସମସ୍ତଙ୍କୁ ସମୟ ଦେଇଥିଲେ । ଏଥିସହ କାହାରି ମନକଷ୍ଟ ହେବାକୁ ଦେଇ ନ ଥିଲେ ।
ଏହାପରେ ନଭେମ୍ବର ୧୦ ତାରିଖ ଗୁରୁଦେବ ପୂର୍ବାହ୍ନରେ ବିଶ୍ୱବିଦ୍ୟାଳୟ ଏବଂ ଓଡ଼ିଶା ଛାଡ଼ିଥିଲେ । ତାଙ୍କର ଏହି ସ୍ୱଳ୍ପକାଳୀନ ଓଡ଼ିଶା ରହଣୀ ଖୁବ୍ କାର୍ଯ୍ୟବହୁଳ ଓ ବ୍ୟସ୍ତବହୁଳ ଥିଲା ସତ, ମାତ୍ର ତାହା ଖୁବ୍ ସୁଚାରୁ ରୂପେ ସମ୍ପନ୍ନ ହୋଇଥିବାରୁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ବିଶେଷକରି କୁଳାଧ୍ୟକ୍ଷା ପ୍ରାଧ୍ୟାପିକା ରଜିତା କୁଲକର୍ଣ୍ଣୀ, କୁଳପତି ପ୍ରାଧ୍ୟାପକ (ଡ.) ତେଜପ୍ରତାପ, କାର୍ଯ୍ୟନିର୍ବାହୀ କୁଳସଚିବ ପ୍ରାଧ୍ୟାପକ (ଡ.) ଅନିଲ କୁମାର ଶର୍ମା ଏବଂ କାର୍ମିକ ନିର୍ଦ୍ଦେଶକ ସ୍ୱାମୀ ସତ୍ୟଚୈତନ୍ୟ ପ୍ରମୁଖ ସମସ୍ତଙ୍କୁ ସାଧୁବାଦ ଜଣାଇଥିଲେ ।





.jpeg)



Comments
Post a Comment